PRGI REGD NO : ORORI/25/A1991

Advertisement

କେବଳ ବିଶ୍ୱାସ ନୁହେଁ, ଭରସା ବି ରଖ!

କେବଳ ବିଶ୍ୱାସ ନୁହେଁ, ଭରସା ବି ରଖ !

               – ଶ୍ରୀସନ୍ନ୍ୟାସୀ ଜୀ ମୋ -୯୪୩୭୨୯୨୬୯୯

ଭଗବତ ଇଲାକାରେ ପ୍ରବେଶ କରିବା ପାଇଁ ଯେଉଁ ଦୁଇଟି ଦିବ୍ୟ ଗୁଣ ପହିଲେ ଆବଶ୍ୟକ ତାହା ହେଉଛି ‘ବିଶ୍ୱାସ’ ଏବଂ ‘ଭରସା’ । ଆମ ଆସ୍ତିକମାନଙ୍କ ଭିତରେ ଏମିତି ବହୁତ ଅର୍ଥାତ ଶହେରୁ ଅଶୀ ପ୍ରତିଶତ ବ୍ୟକ୍ତି ବାହାରିବେ ଯେଉଁମାନଙ୍କର ଇଶ୍ୱରଙ୍କ ଉପରେ ବିଶ୍ୱାସ ଥାଏ  ସତ କିନ୍ତୁ  ଭରସା ନ ଥାଏ । ବିଶ୍ୱାସ ଥିବାରୁ ସିନା ଜଣେ ପୂଜା, ଆରାଧନା କିମ୍ବା ମନ୍ଦିର ଯାଏ । କିନ୍ତୁ  ‘ ଭରସା ‘ ଅଭାବରୁ ଇଶ୍ୱର ବିଶ୍ୱାସୀ ଲୋକଟି ତା ଜୀବନରେ ଦୁଃଖକୁ ନିମନ୍ତ୍ରଣ କରିଥାଏ । ଇଶ୍ୱରଙ୍କ ପରିପୂର୍ଣ୍ଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ କେବଳ ‘ବିଶ୍ୱାସ’ରେ କାମ ଚଳିବନି, ସେଥିପାଇଁ  ‘ଭରସା’ର ନିତାନ୍ତ ଆବଶ୍ୟକ ଅଛି । ଆମେ ଇଶ୍ୱରଙ୍କ ଉପରେ ‘ବିଶ୍ୱାସ’ ସ୍ଥାପନ କରିପାରୁ କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ତାଙ୍କ ଉପରେ ‘ଭରସା’ ନ ରଖିଛୁ ସେତେବେଳ ପର୍ଯ୍ୟନ୍ତ ବିଶ୍ୱାସର କିଛି ଅର୍ଥ ନାହିଁ । ଭରସା ବ୍ୟତିରକେ ବିଶ୍ୱାସ ପଙ୍ଗୁ ଆଉ ଅର୍ଥହୀନ । ଭରସାଟି ବିଶ୍ୱାସ ହୋଇପାରେ କିନ୍ତୁ ବିଶ୍ୱାସ କେବେ ଭରସାର ସ୍ଥାନ ନେଇ ପାରିବ ନାହିଁ । ତେବ ପ୍ରଶ୍ନ ଉଠିବ – ବିଶ୍ୱାସ କ’ଣ ଏବଂ ଭରସା କ’ଣ? 

         ବିଶ୍ୱାସ ଏବଂ ଭରସା ଭିତରେ ଥିବା ମହାଫରକକୁ ଜାଣିବା ପାଇଁ  ‘ବାଉଁଶ ରାଣୀ’ ଖେଳକୁ ଏକ ଉଦାହରଣ ରୂପେ ନିଆଯାଇପାରେ ।  ଚାରିପଟେ ଶହ ଶହ ଦେଖେଣାହାରୀ ଏ ଖେଳକୁ ଉପଭୋଗ କରିବା ପାଇଁ ଉପସ୍ଥିତ । ଠିକ ଏଇ ସମୟରେ ବାଉଁଶରାଣୀ ନିଜ ଦୁଇ କୋଡ଼ପୋଛା ଦୁଇ ଛୁଆ ଙ୍କୁ ଦୁଇ କାନ୍ଧରେ ବସାଇ ବାଉଁଶ ଉପରକୁ ଚଢିଲା । ତଳେ ଥିବା ତା ସ୍ୱାମୀ ତା ହାତକୁ ଏକ ସରୁଆ ଲମ୍ବା ବାଉଁଶ ବଢ଼ାଇଦେଲା । ବାସ, ଛୁଆ ଦୁଇଟିକୁ କାନ୍ଧରେ ବସାଇ ବାଉଁଶରାଣୀ ଏବେ ଭୂମି ଠାରୁ ପନ୍ଦର ଫୁଟ ଉଚ୍ଚ଼ରେ ଦୁଇ ପାର୍ଶ୍ୱରେ ଦୁଇ ଖୁଣ୍ଟି ଦ୍ୱାରା ବନ୍ଧା ହୋଇଥିବା ଦଉଡି ଉପରେ ଚାଲିବା ଆରମ୍ଭ କଲା । ସବୁ ଦର୍ଶକ ତଟସ୍ଥ । କେହି କେହି ପାଟି ମେଲା କରି ବିସ୍ମୟରେ ଆଁ ଟିମାନ କରି ଚାହିଁ ରହିଥାନ୍ତି । ପିଲାସହ ବାଉଁଶ ରାଣୀ ତଳକୁ ଖସି ପଡିବ ନାହିଁ ତ! ଦୈବାତ ପଡିଗଲେ ଅବସ୍ଥା କ’ଣ ହେବ!! ଅନ୍ୟ କେହି ତାଳି ମାରି ଉତ୍ସାହିତ କରୁଥାନ୍ତି । ଧୀରେ ଧୀରେ ବାଉଁଶରାଣୀ ସେପଟ ଖୁଣ୍ଟ ପାଖରେ ପହଂଚି ଗଲା । ଦର୍ଶକମାନେ କିଏ ପାଞ୍ଚ କିଏ ଦଶ, କିଏ ପଚାଶ,ଶହେ – ଏମିତି ଅର୍ଥମାନ ଅଜାଡି ପକାଇଲେ । କିଏ କିଏ ବାଉଁଶରାଣୀ ସହ ହାତ ମିଳାଇ ତା ସାଧନା କୁ ତାରିଫ କରୁଥାନ୍ତି । ଏହି ସମୟରେ ବାଉଁଶରାଣୀ କହିଲା – ଆଜ୍ଞା, ଆପଣମାନଙ୍କୁ ନମସ୍କାର । ମୁଁ ଏବେ ଏପଟ ଖୁଣ୍ଟରୁ ସେପଟ ଖୁଣ୍ଟ ପାଖକୁ ପୂର୍ବ ପରି ଯାଇ ପାରିବି କି ନା? ସମସ୍ତେ କହିଲେ – ହଁ, ଆପଣ ଯାଇ ପାରିବେ । 

  – ମୋ ଉପରେ ଆପଣମାନଙ୍କ ବିଶ୍ୱାସ ଅଛି ତ ?    ସମସ୍ତେ ଏକ ସ୍ୱରରେ କହିଲେ, ହଁ, ବିଶ୍ୱାସ ଅଛି । – ଯଦି ବିଶ୍ୱାସ ଅଛି, ତେବେ? ଆପଣମାନଙ୍କ ଭିତରୁ କେହି ନିଜ ଛୁଆଙ୍କୁ ମୋ କାନ୍ଧରେ ବସିବା ପାଇଁ ଅନୁମତି ଦେଇ ପାରିବେ କି ? ବାସ, ବାଉଁଶରାଣୀର ଏତିକି କଥାରେ ଉପସ୍ଥିତ ଦର୍ଶକଙ୍କ ପାଟି ଚୁପ । କିଏ କାହିଁକି ନିଜ ଛୁଆଙ୍କ ଜୀବନକୁ ବାଜି ଲଗାଇ ବାଉଁଶରାଣୀ ର କାନ୍ଧକୁ ଟେକିଦେବ ଯେ ? ସୁତରାଂ କାହାର ଭରସା ନାହିଁ । ବାଉଁଶରାଣୀ ନିଜ ଛୁଆଙ୍କୁ କାନ୍ଧରେ ବସାଇ ଦଉଡି ଉପରେ ଚାଲି ପାରିବ – ଏ ବିଶ୍ୱାସ ଆମର ଅଛି କିନ୍ତୁ ଆମ ଛୁଆଙ୍କୁ ସେଇ ବାଉଁଶରାଣୀର କାନ୍ଧ  କୁ ଟେକିଦେବା ପାଇଁ ଆମର ସେତିକି ଭରସା ନାହିଁ । 

ଏହା ହେଉଛି ବିଶ୍ୱାସ ଆଉ ଭରସା ଭିତରେ ଥିବା ପାର୍ଥକ୍ୟ । ଇଶ୍ୱରଙ୍କ ଉପରେ ବିଶ୍ୱାସ ନୁହେଁ,ଭରସା ସ୍ଥାପନ କରିବା ଦରକାର । ଭରସା ଅଭାବରୁ ଦୁଃଖରେ ପଡିଲେ ଇଶ୍ୱର ବିଶ୍ୱାସୀ ମଣିଷମାନେ ଆଖିରୁ ଲୁହ ଗଡ଼ାନ୍ତି । ଭୋ ଭୋ ହୋଇ କାନ୍ଦନ୍ତି । କିନ୍ତୁ ଯିଏ ଭରସା ରଖିଥାଏ ସିଏ କେବେ କାନ୍ଦେନା । ଦୁଃଖରେ ସେ ହସେ । କାରଣ ସେ ଭଲ ଭାବେ ଜାଣିଥାଏ ଯେ ସେ ଯେଉଁ ଇଶ୍ୱର ଙ୍କୁ ଭରସା କରିଛି, ସେ ହେଉଛନ୍ତି ମଙ୍ଗଳମୟ । ସେ କାହାର ଅମଙ୍ଗଳ କରନ୍ତି ନାହିଁ । ମୋତେ ଦୁଃଖ ଦେବା ମୂଳରେ ହିଁ ତାଙ୍କର ଅହେତୁକି କୃପା ନିହିତ ଅଛି । ଏ ଦୁଃଖ ହିଁ ମୋ ପାଇଁ ସୁଖ । ପରୀକ୍ଷାରେ ପୁଅ ଫେଲ ହେଲେ , ଗାଡ଼ି ଦୁର୍ଘଟଣା ରେ ସ୍ୱାମୀ ଆହତ ହୋଇ ଡାକ୍ତରଖାନାରେ ପଡିଲେ , ଘରେ ଖାଇବାକୁ ନ ଥିଲେ , ନିଜ ଚାକିରୀରୁ ସସ୍ପେଣ୍ଡ ଆଦେଶ ମିଳିବା ପରି ଏ ଯାବତୀୟ ଦୁଃଖ ଇଶ୍ୱରଙ୍କ ଉପରେ ଭରସା ରଖିଥିବା ମଣିଷକୁ ଆଦୌ ଦୋହଲାଇ   ପାରେନା ।ଅନେକ ଆସ୍ତିକ ଲୋକଙ୍କୁ ଏ ଲେଖକ ଦୁଃଖରେ କାନ୍ଦୁଥିବାର ଦେଖିଛି, ବ୍ୟବସାୟରେ କ୍ଷତି ହେଲେ ବେକରେ ତୁଳସୀ ମାଳା ପକାଇଥିବା ଅନେକ ବ୍ୟବସାୟୀଙ୍କୁ ମୁଣ୍ଡ କୋଡ଼ି ହେଉଥିବାର ଦୃଶ୍ୟକୁ ମଧ୍ୟ ଏ ଆଖି ଦେଖିଛି । ସଭାରେ ଧର୍ମ କଥା କହୁଥିବା ଅନେକ ମଣିଷ ପାରିବାରିକ ଜଂଜାଳରେ ଛନ୍ଦି ହୋଇ ବ୍ୟସ୍ତତା ପ୍ରକାଶ କରୁଥିବାର କଥା ମଧ୍ୟ ଏ କାନ ଶୁଣିଛି । କପାଳ ରେ ଚିତା ଚୈତନ କାଟିଥିବା ମଣିଷ ଟି ମୁହଁରେ ନିଜ ଝିଅ ଶାଶୁ ଘରେ ଭଲ ରେ ଚଳିପାରୁନି ବୋଲି କହି ମୁଣ୍ଡରେ ହାତ ଦେଇ ବସୁଥିବାର ଦୃଶ୍ୟ ମଧ୍ୟ ଏ ଆଖି ଦେଖୁଚି । ଏଗୁଡିକ ଦେଖିଲେ ଲାଗେ ଯେ ଏମାନେ ଆଧ୍ୟାତ୍ମିକ ପଥରେ ପାଦ ଥାପିଛନ୍ତି ସତ କିନ୍ତୁ ପାଦ ଟିକୁ ଦୃଢ଼ ଭାବେ ସଂସ୍ଥାପିତ କରି ପାରି ନାହାଁନ୍ତି, ଖାସ କେବଳ ଇଶ୍ୱରଙ୍କ ପ୍ରତି ଥିବା ସେମାନଙ୍କ ‘ଭରସା ‘ ଅଭାବରୁ । ଇଶ୍ୱରଙ୍କ ଠିଁ ବିଶ୍ୱାସ ଅଛି କିନ୍ତୁ ଭରସା ଟିକକ ନାହିଁ । ବିଶ୍ୱାସ ଓ ଭରସାକୁ ନେଇ କ୍ଷୁଦ୍ର କଥନିକାଟିଏ । ଇଶ୍ୱରଙ୍କ ଦର୍ଶନ ପାଇବା ପାଇଁ ଜଣେ ବ୍ୟକ୍ତି ପାହାଡ଼ ଅଗ୍ର ଭାଗରେ ବସି ଘୋର ତପସ୍ୟା ଆରମ୍ଭ କରିଦେଲା । ଏମିତି କିଛି ବର୍ଷ ସାଧନାରେ ବିତିଗଲା । ଦିନେ ବ୍ୟକ୍ତି ଜଣକ ଏମିତି ପାହାଡ଼ ଉପରେ ଠିଆ ହୋଇ ତଳକୁ ଦୃଷ୍ଟି ନିକ୍ଷେପ କରି ଚାହିଁ ରହିଥିବା ବେଳେ ଅସାବଧାନତାବଶତଃ କେଜାଣି କେମିତି ସେ ତଳକୁ ଖସି ପଡିଲା । ଉପରୁ ତଳକୁ ଖସୁଥିବା ବେଳେ ପାହାଡ଼ ସନ୍ଧିରେ ଥିବା ଏକ ଗଛ ର ମୂଳକୁ ଦୈବାତ ଜାବୁଡି ଧରି ଓହଳି ରହିଲା । ରକ୍ଷା କରିବା ପାଇଁ ମନେ ମନେ ସେ ଇଶ୍ୱରଙ୍କୁ କାତର ପ୍ରାର୍ଥନା କଲା । 

 ପ୍ରାର୍ଥନା ଶୁଣି ଇଶ୍ୱର ତତକ୍ଷଣାତ ବ୍ୟକ୍ତିଟି ଓହଳି ରହିଥିବା ସ୍ଥାନର ଠିକ କିଛି ଦୂର ତଳେ ଆବିର୍ଭାବ ହୋଇ ନିଜ ଦୁଇ ହାତକୁ ପ୍ରସାରିତ କରି କହିଲେ – ବତ୍ସ!,ତୁମର ବିକଳ ପ୍ରାର୍ଥନା ଶୁଣି ମୁଁ ଏବେ ତଳେ ବାହୁ ପ୍ରସାରୀ ତୁମକୁ ରକ୍ଷା କରିବା ପାଇଁ ଅପେକ୍ଷାରତ । ଏବେ ତୁମେ ଗଛର ମୂଳକୁ ଛାଡି ଦେଇ ମୋ କୋଳକୁ ଡେଇଁ ପଡ଼ । ବ୍ୟକ୍ତି ଜଣକ କହିଲେ – ନାଇଁ ପ୍ରଭୁ! ପହିଲେ ମୋତେ ଆଗ ଧରନ୍ତୁ । ପରେ ମୁଁ ଗଛ ର ମୂଳକୁ ଛାଡ଼ିବି । 

ଏହାହିଁ ହେଉଛି ‘ବିଶ୍ୱାସ ‘ଏବଂ ‘ ଭରସା ‘ ର କଥା 

Sanyasi Writer Happyliving:

ସମ୍ପାଦକ, ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନେ’ ତେଲେଙ୍ଗା ପେଣ୍ଠ, କଟକ

Happy Living Odisha

Leave a Reply

Your email address will not be published. Required fields are marked *