PRGI REGD NO : ORORI/25/A1991

Advertisement

ସିଏମ୍ ଟ୍ରଫି’ (CM Trophy) ଚମ୍ପିୟାନସିପର ଆୟୋଜନ

ରାଜ୍ୟରେ କ୍ରୀଡ଼ାର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ସିଏମ୍ ଟ୍ରଫି’ (CM Trophy) ଚମ୍ପିୟାନସିପର ଆୟୋଜନ

୪ଟି କ୍ରୀଡ଼ା ବିଭାଗରେ ଆୟୋଜିତ ହେବ ପ୍ରତିଯୋଗିତା

୩୨,୦୦୦ରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିବାର ସମ୍ଭାବନା

ଜାନୁଆରୀ ୭ରୁ ୧୪ ପର୍ଯ୍ୟନ୍ତ ଚାଲିବ ପଞ୍ଜୀକରଣ ପ୍ରକ୍ରିୟା

ଭୁବନେଶ୍ୱର, ୦୬ ଜାନୁଆରୀ, ୨୦୨୬: ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ “ପଡ଼ିଆରୁ ପୋଡିୟମ୍” (Padia to Podium) ର ସଂକଳ୍ପକୁ ସାକାର କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ‘ସିଏମ୍ ଟ୍ରଫି’ (CM Trophy) ଚମ୍ପିୟାନରସିପର ଆୟୋଜନ କରାଯିବ। ତୃଣମୂଳ ସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରି ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏହି ଅଭିନବ ପ୍ରୟାସର ମୂଳ ଲକ୍ଷ୍ୟ।
ଏହି ପ୍ରତିଯୋଗିତା ମାଧ୍ୟମରେ ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ାବିତ୍‌ମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ସୁଦୃଢ଼ ମଞ୍ଚ ପ୍ରଦାନ କରାଯିବ।

ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ରାଜ୍ୟସ୍ତରୀୟ କ୍ରୀଡ଼ା ସଂଘ (State Sports Association) ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ପାରମ୍ପରିକ ତଥା ଲୋକପ୍ରିୟ କ୍ରୀଡ଼ାକୁ ସ୍ଥାନ ଦିଆଯାଇଛି:

୧. ଫୁଟବଲ୍ (୧୫ ବର୍ଷରୁ କମ୍)
୨. ଭଲିବଲ୍ (୧୪ ବର୍ଷରୁ କମ୍)
୩. କବାଡି (୧୬ ବର୍ଷରୁ କମ୍)
୪. ଖୋ-ଖୋ (୧୪ ବର୍ଷରୁ କମ୍)

ଉଭୟ ବାଳକ ଓ ବାଳିକା ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ, ଯାହା କ୍ରୀଡ଼ା କ୍ଷେତ୍ରରେ ସମାନତା ଏବଂ ସମାବେଶୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବ।

ଏହି ଟୁର୍ଣ୍ଣାମେଣ୍ଟ ଏକ ବହୁ-ସ୍ତରୀୟ ପ୍ରକ୍ରିୟାରେ ପରିଚାଳିତ ହେବ। ପ୍ରଥମେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାଙ୍କୁ ଚୟନ କରାଯାଇ ଜିଲ୍ଲାସ୍ତର, ଜୋନାଲ୍ ଏବଂ ଶେଷରେ ରାଜ୍ୟସ୍ତରୀୟ ଚମ୍ପିୟାନସିପ ଅନୁଷ୍ଠିତ ହେବ। ୭ ଜାନୁଆରୀରୁ ୧୪ ଜାନୁଆରୀ, ୨୦୨୬ ମଧ୍ୟରେ ଆଶାୟୀ କ୍ରୀଡ଼ାବିତ୍ ମାନେ ସିଏମ୍ ଟ୍ରଫି ଚାମ୍ପିୟନସିପ୍ ପାଇଁ ପଞ୍ଜୀକରଣ କରିପାରିବେ।

ମେଧା ଭିତ୍ତିରେ ଜିଲ୍ଲା ସ୍ତରରେ ବାଳକ ବର୍ଗରେ ୧୦ଟି ଏବଂ ବାଳିକା ବର୍ଗରେ ୬ଟି ଟିମ୍ ଗଠନ କରାଯିବ।

ସମଗ୍ର ରାଜ୍ୟରୁ ପ୍ରାୟ ୫୦୦ଟି ଦଳ ଏବଂ ୩୨,୦୦୦ ଯୁବ କ୍ରୀଡ଼ାବିତ୍ ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଛି।

ପ୍ରତିଯୋଗିତାଟି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ: ୧. ପ୍ରଥମ ପର୍ଯ୍ୟାୟ: ଜାନୁଆରୀ – ଫେବୃଆରୀ ମଧ୍ୟରେ। ୨. ଦ୍ୱିତୀୟ ପର୍ଯ୍ୟାୟ: ମେ ମାସରୁ ଆରମ୍ଭ ହେବ। ସେମି-ଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଗୁଡ଼ିକ ମେ’ ୨୦୨୬ରେ ଆୟୋଜନ କରାଯିବାର ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ କ୍ରୀଡ଼ା ସଂଘଗୁଡ଼ିକ ଖେଳାଳିଙ୍କ ପଞ୍ଜୀକରଣ, ଟ୍ରାୟଲ୍ ପରିଚାଳନା, ବୈଷୟିକ ଅଧିକାରୀଙ୍କ ନିଯୁକ୍ତି ଏବଂ ମ୍ୟାଚ୍ ଆୟୋଜନ ପରି ବୈଷୟିକ ଦିଗଗୁଡ଼ିକର ଦାୟିତ୍ୱ ନେବେ। କ୍ରୀଡ଼ା ଓ ଯୁବ ସେବା ବିଭାଗ ସମଗ୍ର କାର୍ଯ୍ୟକ୍ରମର ଯୋଜନା ଏବଂ ପରିଚାଳନା ଦିଗ ଉପରେ କାର୍ଯ୍ୟ କରିବେ। ଓଡ଼ିଶାର ଏହି “ସିଏମ୍ ଟ୍ରଫି ଚମ୍ପିୟାନସିପ” ଆଗାମୀ ଦିନରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସାଧାରଣରେ ମତପ୍ରକାଶିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟାବଂଶୀ ସୁରଜ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଓ ନିର୍ଦେଶକ ଡା ୟେଦୁଲା ବିଜୟ ପ୍ରମୁଖ ଉପସ୍ଥିତ ଥିଲେ।

Happy Living Odisha

Leave a Reply

Your email address will not be published. Required fields are marked *