PRGI REGD NO : ORORI/25/A1991

Advertisement

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ

ପ୍ରଧାନମନ୍ତ୍ରୀ ଭାବେ ଯଶସ୍ୱୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ୪୩୯୯ ଦିବସ ସେବା ପ୍ରଦାନର ଐତିହାସିକ ମୁହୁର୍ତ ଅବସରରେ
ଭାରତକୁ ବିଶ୍ୱରେ ଏକ ନୂତନ ପରିଚୟ ଦେଇଛନ୍ତି ମୋଦିଜୀ: ମନମୋହନ ସାମଲ
 ଗୌରବମୟ ଓ ଐତିହାସିକ ଉପଲବ୍ଧି ଉପଲକ୍ଷେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି
 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ କଲେ ରାଜ୍ୟ ସଭାପତି ଏବଂ ରାଜ୍ୟ ନେତୃବୃନ୍ଦ

ଭୁବନେଶ୍ୱର, (HLO): ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଆଜି ଭାରତ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ରଚନା କରିଛନ୍ତି । ୨୬ ମେ’ ୨୦୧୪ ରୁ ଅଦ୍ୟାବଧି ଲଗାତାର ୧୨ବର୍ଷ ଅର୍ଥାତ୍ ୪୩୯୯ ଦିନ ଧରି ଲଗାତାର ଭାବେ ଦେଶ ସେବାରେ ସମର୍ପିତ ହୋଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ସର୍ବୋଚ୍ଚ ୪୩୯୮ ଦିନର ରେକର୍ଡ ଅତିକ୍ରମ କରି ଦେଶର ସବୁଠୁ ଅଧିକ ସମୟ ସେବା ଦେଇଥିବା ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଇତିହାସ ସୃଷ୍ଟି କରିଛନ୍ତି । ଏହି ଗୌରବମୟ ଓ ଐତିହାସିକ ଉପଲବ୍ଧି ଉପଲକ୍ଷେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ହୃଦୟରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।
ଏହା କେବଳ ଜଣେ ମହାନ ନେତାର ବ୍ୟକ୍ତିଗତ ଉପଲବ୍ଧି ନୁହେଁ ବରଂ ଏହା ୧୪୦କୋଟି ଦେଶବାସୀଙ୍କ ଅଦମ୍ୟ ବିଶ୍ୱାସ, ଅଫୁରନ୍ତ ସମର୍ଥନ ଓ ଆକାଂକ୍ଷାର ମହାବିଜୟ । ଏହି ଐତିହାସିକ ମୁହୂର୍ତ ଆଗାମୀ ପିଢି ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିବ । ବିଗତ ୪,୩୯୮ ଦିନର ଏହି ଅତୁଳନୀୟ ଯାତ୍ରା ‘ସେବା, ସୁଶାସନ, ସଂକଳ୍ପ ଓ ସମ୍ପୂର୍ଣ୍ଣ ସମର୍ପଣ’ର ଜୀବନ୍ତ ଉଦାହରଣ । ପ୍ରଧାନମନ୍ତ୍ରୀଜୀଙ୍କ ଦୂରଦ୍ରଷ୍ଟା ନେତୃତ୍ୱରେ କୋଟିକୋଟି ଗରିବ ପରିବାର ଆବାସ, ଶୌଚାଳୟ, ବିଦ୍ୟୁତ୍‌, ରନ୍ଧନ ଗ୍ୟାସ, ସ୍ୱାସ୍ଥ୍ୟ ସୁରକ୍ଷା ଓ ମାଗଣା ରାଶନ ଭଳି ଜୀବନ ଆଧାର ସୁବିଧା ପାଇ ଲାଭାନ୍ୱିତ ହୋଇଛନ୍ତି । ମହିଳା ସଶକ୍ତିକରଣ, ଯୁବ ଉନ୍ନୟନ, କୃଷକ ସମୃଦ୍ଧି, ଡିଜିଟାଲ ବିପ୍ଳବ, ଦ୍ରୁତ ଭିତିଭୂମି ବିକାଶ, ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଓ ମହାକାଶ ବିଜ୍ଞାନରେ ଅଭୂତପୂର୍ବ ସଫଳତା ହାସଲ କରି ଭାରତ ବର୍ଷ ବିଶ୍ୱ ମଂଚରେ ଆତ୍ମବିଶ୍ୱାସ ଓ ସମ୍ମାନର ସହ ନୂତନ ଉଚ୍ଚତାରେ ଉଭା ହୋଇଛି । ବିକାଶ ଓ ବିରାସତ, ଆଧୁନିକତା ଓ ସଂସ୍କୃତି ମଧ୍ୟରେ ଏକ ଅଦ୍ଭୁତ ସନ୍ତୁଳନ ବଜାୟ ରଖି ମୋଦିଜୀ ଭାରତକୁ ଏକ ନୂତନ ପରିଚୟ ଦେଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ’ର ପବିତ୍ର ଭାବନାକୁ ଚରିତାର୍ଥ କରି ବିକଶିତ ଭାରତ-୨୦୪୭ର ସ୍ୱର୍ଣ୍ଣିମ ସ୍ୱପ୍ନ ପୂରଣ ଦିଗରେ ମୋଦିଜୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଦୃଢ ସଂକଳ୍ପ ଭାରତକୁ ନିରନ୍ତର ଅଗ୍ରଗତି, ସମୃଦ୍ଧି ଓ ଅନ୍ତର୍ଜାତୀୟ ଗୌରବର ନୂତନ ଶିଖରରେ ପ୍ରତିଷ୍ଠିତ କରୁଥାଉ, ଏହା ମୋର କାମନା ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ଓଡିଶା ପ୍ରଦେଶ ଭାରତୀୟ ଜନତାପାର୍ଟି ଓ ଭୁବନେଶ୍ୱର ଜିଲ୍ଲା ତରଫରୁ ଆଜି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପାଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା ଓ ଦୀପଦାନ କରାଯାଇଛି । ଏଥି ସହ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ କରି ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ବୃକ୍ଷରୋପଣ କରିବା ସହିତ ଜନସାଧାରଣଙ୍କୁ ପଣା ବଂଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶନୀ ନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ଶ୍ରୀ ଜଗନ୍ନାଥ ପ୍ରଧାନ, ଶ୍ରୀ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଅନେକ କାର୍ଯ୍ୟକର୍ତା ଓ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Happy Living Odisha

Leave a Reply

Your email address will not be published. Required fields are marked *