– ଶ୍ରୀ ସନ୍ନ୍ୟାସୀ ଜୀ
ଜଣେ ସରଳ, ସାଧାସିଧା ଏବଂ ଗାଉଁଲି ବ୍ୟକ୍ତି ଥିଲେ କୁଶ ବାବା । ଗୃହୀ ବୈଷ୍ଣବ। ବୃତ୍ତି ରେ ଜଣେ କୃଷକ । କିନ୍ତୁ ଜଣେ ସିଦ୍ଧ ମହାପୁରୁଷ । ସାଂସାରିକ ନାଁ ହେଉଛି କୃଷ୍ଣଚନ୍ଦ୍ର ରାୟ । କିନ୍ତୁ ଭକ୍ତ ମାନଙ୍କ ମୁହଁରେ ସେ କୁଶ, ବା କୁସିଆ ବାବା ନାମରେ ବିଖ୍ୟାତ । କେବେ ଚାଟଶାଳୀ ର ଦୁଆରମୁହଁ ମାଡ଼ି ନାହାନ୍ତି କିନ୍ତୁ ଗୀତା, ଭାଗବତ, ପୁରାଣ ମହାଭାରତ ଆଉ ରାମାୟଣ ସବୁ ଅସ୍ଥିମଜ୍ଜାଗତ । ଏ ସବୁ ର ସୁନ୍ଦର ବିବେଚନା କେଡେ କେଡେ ଶିକ୍ଷିତ ଆଉ ପଣ୍ଡିତ ମାନଙ୍କୁ ବି ଆଶ୍ଚର୍ଯ୍ୟଚକିତ କରାଏ । ସବୁ ଜଟିଳ ପ୍ରଶ୍ନ ର ସରଳ ଏବଂ ମନମତାଣିଆ ଉତ୍ତର ତାଙ୍କ ପାଖରେ ଥାଏ । ଦିନେ ଜଣେ ଭକ୍ତ କୁଶ ବାବାଜୀ ଙ୍କୁ ପଚାରିଲେ ଆଜ୍ଞା, ରାମଚନ୍ଦ୍ର ତ ଭଗବାନ ଥିଲେ । ତାଙ୍କ ସ୍ତ୍ରୀ ସୀତା ସତୀ ଥିଲେ କି ନ ଥିଲେ ସେ କ’ଣ ଜାଣି ପାରୁ ନ ଥିଲେ? ସେଥିପାଇଁ ସୀତା ଙ୍କୁ ସର୍ବ ସମ୍ମୁଖରେ ଅଗ୍ନି ପରୀକ୍ଷା ଦେବା ଯାଏ କଥା ଗଲା କାହିଁକି ?
ବାବାଜୀ ହସି ହସି କହିଲେ, ତୁମେ ତ ଏଣେ ତାଙ୍କୁ ଭଗବାନ ବୋଲି କହିଲ । ତେଣେ ତାଙ୍କ କାର୍ଯ୍ୟଧାରା କୁ ତୁମ କଚେରୀ ରେ କାହିଁକି ପକାଉଚ ? ଗୋଟିଏ ଧ।ରାରେ ଯାଅ ।
ରାମ ଙ୍କୁ ଭଗବାନ ବୋଲି ଭାବ ନଚେତ ଜଣେ ମନୁଷ୍ୟ ବୋଲି ଭାବ । ତାଙ୍କୁ ଭଗବାନ ବୋଲି ଭାବିବ କିନ୍ତୁ ତାଙ୍କ କାର୍ଯ୍ୟଶୈଳୀ କୁ ମାନବ ର ବୁଦ୍ଧି ରେ ତଉଲିବ, ଏହା କିପରି କଥା ? ସୀତା ଲଙ୍କା ରେ ଥିଲେ ବି ତାଙ୍କ ମନ ସଦା ସର୍ବଦା ଶ୍ରୀରାମ ଙ୍କ ଚରଣ କମଳ ରେ ଥିଲା । ସେ ଥିଲେ ସତୀ । ତାଙ୍କର ସତୀତ୍ୱ କୁ ଅନ୍ୟ ଚରିତ୍ରହୀନା ନାରୀମାନେ କିପରି ବିଶ୍ୱାସ କୁ ନେବେ ? ଅନ୍ୟ ପକ୍ଷରେ ଯିଏ ପ୍ରକୃତ ରେ ରାଜା ସେ ତା ରାଜ୍ୟ ର ସବୁ ବର୍ଗ ର ପ୍ରଜା ଙ୍କୁ ସନ୍ତୁଷ୍ଟ କରି ରଖିବାର ଦକ୍ଷତା ଥିବା ଦରକାର । ତେଣୁ ଯେତେବେଳେ କତିପୟ ପ୍ରଜା ସୀତା ଙ୍କ ସତୀତ୍ୱ ଉପରେ ସନ୍ଦେହ ପ୍ରକଟ କଲେ, ସେତେବେଳେ ରାଜା ହିସାବରେ ତାଙ୍କ କଥା ବୁଝିବା ବି ରାମଙ୍କର କର୍ତ୍ତବ୍ୟ । ରାମ ଅବତାର ନେଇ କାହିଁକି ଆସିଥିଲେ ? ତାଙ୍କ ଅବତାର ନେବା ର ଲକ୍ଷ୍ୟ ଥିଲା କେବଳ ମଣିଷ ପ୍ରକୃତି ର ମର୍ଯ୍ୟାଦା କୁ ପ୍ରତିଷ୍ଠା କରିବା – ଯାହା ସତ୍ୟ ତାହାକୁ ପ୍ରତିଷ୍ଠା କରିବା । ସୀତା ତ ସତୀ ଥିଲେ । ଏକଥା ଶ୍ରୀରାମଙ୍କୁ ଯେତେ ଜଣା ଥିଲେ ବି ରାଜା ହିସାବରେ ଜନସମୁଦାୟ ଙ୍କ ଆଗରେ ଉକ୍ତ ସତ୍ୟ କୁ ପ୍ରତିଷ୍ଠା କରାଇବା ହିଁ ରାଜା ର ପରମ ଧର୍ମ । ସେଥିପାଇଁ ସେ ସୀତା ଙ୍କର ଅଗ୍ନି ପରୀକ୍ଷା ନେଇଥିଲେ ।
ଦିନେ ଆଉ ଜଣେ ଶିଷ୍ୟ ତାଙ୍କୁ ପ୍ରଶ୍ନ କଲେ – ଆପଣ ଆମକୁ ସବୁବେଳେ କୁହନ୍ତି ଯେ ପର ଝିଅ ବା ସ୍ତ୍ରୀ ଙ୍କ ଉପରେ କୁଦୃଷ୍ଟି ପକାଇବ ନାହିଁ । ପର ସ୍ତ୍ରୀ ହରଣ ମହାପାପ । ହେଲେ ଶ୍ରୀକୃଷ୍ଣ ମହାପ୍ରଭୁ ହୋଇ ସେ କେମିତି ଷୋଳ ହଜାର ସ୍ତ୍ରୀ ଙ୍କୁ ବାହା ହୋଇଥଲେ? ସେମାନଙ୍କ ଛଡ଼ା ଆଉ ଆଠ ଜଣ ବି ଥିଲେ । ଏମିତି ହେଲେ ଆଜିକାର ଟୋକାଟାକେଳିଆ ମାନେ କ’ଣ ଶିଖିବେ?
କୁଶ ବାବାଜୀ କହିଲେ, ଆଛା ଏମିତି କଥା । କୃଷ୍ଣ ସାତ ଦିନ କାଳ ଗିରି ଗୋବର୍ଦ୍ଧନ ପର୍ବତ କୁ ନିଜ କାଣୀ ଆଙ୍ଗୁଠି ରେ ରଖିଥିଲେ । ତୁମେ ଗୋଟିଏ ସେକେଣ୍ଡ ପାଇଁ ରଖିବ ଟି ଦେଖି ? ତା ପରେ ରହିଲା ବିବାହ କଥା । ତୁମେ ମାନେ ଗୋଟିଏ ଗୋଟିଏ ସ୍ତ୍ରୀ କୁ ଚଳେଇ ପାରୁନ ଯେ କଥା ଯାଇ ଗାଁ ସଭା ବା କୋର୍ଟ କଚେରୀ ରେ ପହଁଚୁଛି । ଭଗବାନ ଶ୍ରୀକୃଷ୍ଣ ଙ୍କ ବିରୁଦ୍ଧରେ ତାଙ୍କର କୌଣସି ସ୍ତ୍ରୀ ଆସି ତୁମ ମାନଙ୍କ ପାଖରେ ବା କାହା ପାଖରେ କେବେ ଅଭିଯୋଗ କରିଛନ୍ତି କି? ଯଦି ନୁହେଁ, ତେଵେ ତୁମ ମାନଙ୍କର ଏତେ ଚିନ୍ତା କାହିଁକି ? ଗୋଟିଏ ଲୋକ ଯଦି ତା’ର ଷୋଳ ହଜାର ଶହେ ଆଠ ସ୍ତ୍ରୀ କୁ ଭଲରେ ରଖି ପାରିଲା ତେଵେ ଏହା କଣ ଏକ ଅଲୌକିକତା ନୁହେଁ ? ଶିଷ୍ୟ ଟି ର ମୁହଁ ଚୁପ ।
କୁଶ ବାବାଜୀ ଜଣେ ସିଦ୍ଧ ଯୋଗୀ ଥିଲେ । ଶୂନ୍ୟ ରୁ ଗରମ ମହାପ୍ରସାଦ ସୃଷ୍ଟି କରି ଭକ୍ତ ମାନଙ୍କୁ ଦେବା, ଗାଁ ରେ ହଇଜା ଲାଗିଲେ ବାଡ଼ି ଖଣ୍ଡେ ଧରି ସେ ଗାଁ ରେ ପହଂଚିବା ଏବଂ ଫେରିବା ପରେ ରାଣ ଦେବା ପରି ହଇଜା ବନ୍ଦ ହେବା, ଆଗନ୍ତୁକ ଙ୍କ ମନକଥା ଜାଣି ପାରିବା, ବହୁ ଦୁରାରୋଗ୍ୟ ବ୍ୟାଧିକୁ ଭଲ କରିବା, ଦୁଃଖୀ ଦରିଦ୍ର, ନିରାଶ୍ରୟ ଏବଂ କୁଷ୍ଠ ରୋଗୀ ଙ୍କୁ ମଠ ରେ ରଖି ସେମାନଙ୍କର ସେବା କରିବା, ବନ୍ୟା ବାତ୍ୟା ରେ ଗାଁ ଗାଁ ବୁଲି ଚୁଡା ଚାଉଳ ବାଣ୍ଟିବା ଆଦି ବହୁ ଜନ ମଙ୍ଗଳକର କାର୍ଯ୍ୟ ସେ କରିଛନ୍ତି । ତାଙ୍କ ଭକ୍ତ ମାନଙ୍କ ମତରେ ବାବାଜୀ ଙ୍କୁ ପଞ୍ଚଭୁତ ଙ୍କ ସାଧନା ଜଣାଥିଲା ।
ଏହି ଗୃହୀ ସନ୍ଥ କୁଶ ବାବା ଙ୍କ କଥା ଓ ଗାଥା କହି ବସିଲେ ଶେଷ ହେବନି । ତାଙ୍କ ସାଧନା ଏବଂ ସିଦ୍ଧି ର ମହକ କେବଳ ଓଡିଶା ନୁହେଁ, ଓଡିଶା ବାହାରେ ଦେଶ ବିଦେଶ ରେ ଯାଇ ଏକଦା ପହଂଚି ଥିଲା । ଏବେ ବି ବାବାଙ୍କର ବହୁ ଅନୁଗାମୀ ଅଛନ୍ତି । ନିଜ ମୃତ୍ୟୁ ର ସୂଚନା ବି ବାବା ବହୁ ପୂର୍ବରୁ ଜଣାଇଥିଲେ ।ମୃତ୍ୟୁ ପୂର୍ବରୁ କିଛି ଦିନ ଯୋଗ ସମାଧିରେ ରହି 1965 ମସିହା ନଭେମ୍ବର କୋଡିଏ ତାରିଖ ଦିବା ଦୁଇ ଘଣ୍ଟା ସମୟରେ ଦେହ ତ୍ୟାଗ କରିଥିଲେ ।
ହଁ, ଏତେ କଥା ବାର୍ତ୍ତା ଭିତରେ ମୁଁ ବାବା ଙ୍କ ମଠ ର ଅବସ୍ଥିତି ବାବଦରେ କହିବାକୁ ଭୁଲିଯାଇଛି । କଟକ ଜିଲ୍ଲା ନିଆଳି ଠାରୁ ପ୍ରାୟ ଚାରି ପାଞ୍ଚ କିମି ଦୂର ପୋଖରୀ ଗାଁ ପଞ୍ଚାୟତ ଅନ୍ତର୍ଗତ ବଗଲ ସାହି ରେ ବାବା ଙ୍କ ମଠ । ମଠ ର ଆଉ ଏକ ବିଶେଷତ୍ୱ ହେଉଛି ମହୋତ୍ସବ ବେଳେ ପ୍ରସ୍ତୁତ ହେଉଥିବା ଡାଲମା ରେ ଆଳୁ, ସାରୁ, ଓଉ, କଖାରୁ, ପୋଟଳ ଆଦି ସବୁ ପନିପରିବା ଗୋଟା ପଡି ତରକାରୀ ହୁଏ ।
ଆଜି ମହାପରୁଷ ଶ୍ରୀମଦ କୁଶ ବାବା ଙ୍କ କଥା ଶ୍ରୀସନ୍ନ୍ୟାସୀ ର ମନେ ପଡ଼ିବାର କାରଣ ହେଉଛି ମାଳିକା ଉପରେ ଥିବା ତାଙ୍କ ବିଚାର । ଏଇ କିଛି ବର୍ଷ ହେଲା ବିଭିନ୍ନ ଚାନେଲ ରେ ନିଜକୁ ମହାପଣ୍ଡିତ ବୋଲାଉଥିବା କିଛି ବ୍ୟକ୍ତି ମହାପୁରୁଷଙ୍କ ନାଁ ନେଇ ଆଗକୁ ମହାବିପଦ ଆସୁଛି, ହୀରାକୁଦ ବନ୍ଧ ଭାଙ୍ଗିବ, ଯୁଦ୍ଧ ହେବ, ହଣା କଟା ଲାଗିବ, ସମୁଦ୍ର ମାଡି ଆସିବ, ଭୂମିକମ୍ପ ହେବ – ଇତ୍ୟାଦି ହୃଦୟଥରା ଭବିଷ୍ୟବାଣୀ କରିଚାଲିଛନ୍ତି । ଏଗୁଡିକୁ ଶୁଣି ଅନେକ ଆତଙ୍କିତ ହେଉଥିବା ବେଳେ ଆଉ କିଛି ଦିଗନ୍ତ ବିସ୍ତାରି ସୁନୀଳ ଆକାଶ, ପାହାଡ଼ ପର୍ବତ, ସାଧୁ ସନ୍ଥ ଓ ସେମାନଙ୍କ ମଠ ମନ୍ଦିର ଆଦିକୁ ଦେଖି ମନେ ମନେ ଭାବୁଛନ୍ତି – ସତରେ କ’ଣ ଏ ସୁନ୍ଦର ପୃଥିବୀ ଧ୍ବଂସ ହୋଇଯିବ? ଏଭଳି ପ୍ରଚାର 2012 ମସିହା ପୂର୍ବରୁ ବି ହେଉଥିଲା ।କେବଳ ସେତିକି ନୁହେଁ, କୁଶ ବାବା ସଶରୀରେ ଥିବା ବେଳେ ଅର୍ଥାତ ଷାଠିଏ ବର୍ଷ ତଳେ ବି ସେମିତି ହଉଥିଲା । ଦିନେ ଜଣେ ଭକ୍ତ ଏ ବାବଦରେ ପଚାରି ବସିଲା – ବାବା! ମାଳିକା ରେ ଯାହା ଲେଖା ହୋଇଛି, ତାହା କ’ଣ ସତ୍ୟ ହେବ?ବାବା ତା’ର ଉତ୍ତର ଦେବାକୁ ଯାଇ କହିଥିଲେ – ଯେତେବେଳେ ଯାହା ହେବା କଥା ହେବ। ସେ ସବୁ ବାବଦରେ ମୁଣ୍ଡ ନ ଖେଳାଇ ନିଜ କର୍ମ ଆଉ ଧର୍ମ କୁ ଠିକ କର । ମାଳିକା ଶୁଣି ଭୟଭୀତ ହୁଅନା । ଇଶ୍ୱର ଙ୍କ ପାଖେ ଶରଣ ପଶ । ସବୁ ବିପଦ ଦୁରେଇ ଯିବ । ତାଛଡା ମହାପୁରୁଷମାନେ ସମାଧି ସ୍ତରରେ ରହି ଲେଖିଥିବା ମାଳିକା କୁ ବୁଝିବା ପାଇଁ ହେଲେ ଆମକୁ ସେଇ ସ୍ତରରେ ପହଂଚିବାକୁ ପଡିବ । ହେଲେ ପେଟ ବିକଳରେ ପଇସା ପାଇଁ ଟକ ଟକ ହେଉଥିବା କିମ୍ବା ମିଥ୍ୟା ପ୍ରତିଷ୍ଠା ପଛରେ ପାଗଳପ୍ରାୟ ଧ।ବମାନ ହେଉଥିବା କ୍ଷୁଦ୍ର ବୁଦ୍ଧି ସମ୍ପନ୍ନ ମଣିଷମାନେ ସେଥିରୁ କ’ଣ ବା ବୁଝିବେ ଆଉ ବୁଝାଇବେ ଅନ୍ୟମାନଙ୍କୁ ? ତେଣୁ, ପ୍ରଭୁଙ୍କ ଉପରେ ସମର୍ପଣ ଭାବନା ରଖି ବାଟ ଚାଲ । କିଛି ବି ବିପତ୍ତି ଆସିବନି ।
ସମ୍ପାଦକ, ଦିବ୍ୟାଲୋକ ସନ୍ଧାନେ ରାମନଗର,
ତେଲେଙ୍ଗା ପେଣ୍ଠ, କଟକ, ମୋ -9437292699
Leave a Reply