PRGI REGD NO : ORORI/25/A1991

Advertisement

ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୨୫/୦୯/୨୦୨୫ ରାଷ୍ଟ୍ର ପ୍ରେମରେ ଜୀବନକୁ ସରଳତାର ଆଲୋକରେ ଉଦ୍ଭାସିତ କରିଥିବା, ଚିନ୍ତାର ଉଚ୍ଚତମ ଶୃଙ୍ଗକୁ ସ୍ପର୍ଶ କରିଥିବା, ଦୃଢ଼ ସଂକଳ୍ପର ପରିଚୟ ଦେଇଥିବା ବ୍ୟକ୍ତିତ୍ୱ ଥିଲେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ । ସେ ଥିଲେ ପ୍ରତିଭାବାନ ଛାତ୍ର, ମହାନ ସଂଗଠକ, ଗଭୀର ଚିନ୍ତକ, ଦାର୍ଶନିକ, ଶକ୍ତିଶାଳୀ ଲେଖକ, ସାମ୍ବାଦିକ ଏବଂ ପରିପୂର୍ଣ୍ଣ ମାନବବାଦୀ ରାଷ୍ଟ୍ରନୀତିଜ୍ଞ । ସେ ସଂଗଠନ ପାଇଁ ଅପାର କ୍ଷମତାର ଧାରକ ଥିଲେ, ତାଙ୍କର ଆଦର୍ଶବାଦୀ ମନୋଭାବ ଏବଂ ଶୁଦ୍ଧ ରାଷ୍ଟ୍ରଭାବନା ସଦା ପ୍ରେରଣାର ଉତ୍ସ ଥିଲା । ଦୀନଦୟାଲ ଉପାଧ୍ୟାୟ ଜଣେ ଉଚ୍ଚମାନର ଆଦର୍ଶବାଦୀ ବ୍ୟକ୍ତି ଥିଲେ ଏବଂ ସଂଗଠନ ପାଇଁ ତାଙ୍କର ପ୍ରଚଣ୍ଡ କ୍ଷମତା ଥିଲା ଯାହା ତାଙ୍କୁ ଦେଶପ୍ରେମରେ ବ୍ରତୀ କରିଥିଲା ବୋଲି ରାଜ୍ୟସ୍ତରୀୟ ଜୟନ୍ତୀରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ରାଷ୍ଟ୍ରପ୍ରେମରେ ଜୀବନକୁ ଉତ୍ସର୍ଗ କରି ଦୃଢ଼ ସଂକଳ୍ପର ପରିଚୟ ଦେଇଥିବା ବ୍ୟକ୍ତିତ୍ୱ ଥିଲେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ । ଏକାତ୍ମ ମାନବବାଦର ପ୍ରବର୍ତ୍ତକ ଭାବେ ଦୀନଦୟାଲ ସମାଜ, ପ୍ରକୃତି ଓ ବ୍ୟକ୍ତିକୁ ଏକାତ୍ମଭାବେ ଦେଖି ସମତାପୂର୍ଣ୍ଣ ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ । ଏହା ପୁଞ୍ଜିବାଦ କିମ୍ବା ସମ୍ୟବାଦ ନୁହେଁ ବରଂ ସ୍ୱଦେଶୀ ଓ ଭାରତୀୟ ମୂଲ୍ୟବୋଧଭିତ୍ତିକ ମାର୍ଗ ବୋଲି ସେ କହୁଥିଲେ । ତାଙ୍କ ତତ୍ତ୍ୱର ଲକ୍ଷ୍ୟ ଥିଲା – ସବୁଠାରୁ ଅନ୍ତିମ ମଣିଷଙ୍କ ମୌଳିକ ଆବଶ୍ୟକତା ପୂରଣ କରି ସମଗ୍ର ସମାଜର ମଙ୍ଗଳ କାମନା କରିବା । ଦୀନଦୟାଲ ଉପାଧ୍ୟାୟଙ୍କ ସ୍ୱଦେଶୀ ଚିନ୍ତାଧାରା ଭାରତୀୟ ସଂସ୍କୃତି, ଗ୍ରାମ ଓ କୃଷି ଉନ୍ନତିର ମୁଖ୍ୟ ଆଧାର ଥିଲା । ସେ କହିଥିଲେ – ଦେଶର ସମ୍ପଦ, ଶ୍ରମ ଓ ପ୍ରଜ୍ଞାକୁ ସ୍ୱଦେଶୀ ପଥରେ ବ୍ୟବହାର କରିଲେ ଦେଶ ଆତ୍ମନିର୍ଭର ହେବ । ଦୀନଦୟାଲଙ୍କ ସେହି ଭାବନା ଆଜି ଦେଶକୁ ଆତ୍ମନିର୍ଭରତାରୁ ସାମଗ୍ରିକ ବିକାଶ ପଥରେ ଆଗେଇ ନେଇଛି । ଆଜି ଆମେ ଯେଉଁ ସୁଫଳ ପାଉଛେ ତାହାର ସ୍ୱପ୍ନ ଦେଖିଥିଲେ ଦିବ୍ୟଦ୍ରଷ୍ଟା ପଣ୍ଡିତ ଦୀନଦୟାଲ । ତାଙ୍କର ଦୃଢ଼ ପରିଶ୍ରମ ଓ ନେତୃତ୍ୱରେ ଗଢ଼ିଉଠିଥିବା ଭାରତୀୟ ଜନସଂଘ ଆଜି ବିକଶିତ ହୋଇ ବିଶାଳ ଗଣତାନ୍ତ୍ରିକ ଦଳର ରୂପେ ପରିଣତ ହୋଇଛି ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର,ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂହ କହିଲେ ଯେ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ହେଉଛି ଏକ ଭାରତୀୟ ଚିନ୍ତାଧାରା, ଯେଉଁଥିରେ ମାନବ, ସମାଜ ଓ ପ୍ରକୃତିକୁ ଏକାତ୍ମଭାବେ ଦେଖାଯାଏ । ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାରେ ଅନ୍ତ୍ୟୋଦୟ ଏକ ମୁଖ୍ୟ ସିଦ୍ଧାନ୍ତ । ସେ କହିଥିଲେ – ସମାଜରେ ଯେଉଁମାନେ ସବୁଠୁ ତଳସ୍ତରରେ ଅଛନ୍ତି, ଯେମାନଙ୍କ ପାଖରେ ଖାଦ୍ୟ, ପୋଷାକ, ଶିକ୍ଷା, ଚିକିତ୍ସା, ଆଶ୍ରୟ ପରି ମୌଳିକ ସୁବିଧା ନାହିଁ – ସେମାନଙ୍କୁ ସର୍ବପ୍ରଥମେ ସହାୟତା ମିଳିବା ଦରକାର । ତାଙ୍କ ଭାବନାରେ, ସର୍ବୋତ୍ତମ ନୀତି ହେଉଛି ସର୍ବନିମ୍ନ ବ୍ୟକ୍ତିଙ୍କ ପାଖରେ ସର୍ବପ୍ରଥମେ ସୁବିଧା ପହଞ୍ଚିବା । ସ୍ୱପ୍ନ ତାଙ୍କର ଏବେ ବି ବାସ୍ତବ ରୂପ ନେଇନାହିଁ କହିବା ସହିତ ଆମେ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଧ୍ୟେୟ ବୋଲି ସେ କହିଥିଲେ ।
ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେବା ଅବସରରର କହିଲେ ଯେ ଦୀନଦୟାଲ ଜଣେ ଗଭୀର ଏବଂ ମୌଳିକ ଚିନ୍ତାନାୟକ ଥିଲେ । ତାଙ୍କର ଅଖଣ୍ଡ ମାନବବାଦ ଦର୍ଶନ, ତାଙ୍କ ଜୀବନର ଦୃଷ୍ଟିକୋଣରେ ସ୍ୱାମୀ ବିବେକାନନ୍ଦ ଏବଂ ମହାତ୍ମା ଗାନ୍ଧୀଙ୍କର ଦୃଷ୍ଟିକୋଣ ସହ ସମନ୍ୱୟ ରହିଥିଲା । ଦୀନଦୟାଲଙ୍କ ଚିନ୍ତାଧାରା ଭାରତୀୟ ଜୀବନଦର୍ଶନର ସାରତତ୍ତ୍ୱକୁ ପ୍ରକାଶ କରିଥାଏ । ତାଙ୍କର ଦର୍ଶନ ଆଜି ବି ଦେଶକୁ ନୂତନ ପ୍ରେରଣା ଓ ପଥ ପ୍ରଦର୍ଶନ କରୁଛି ।
ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ଦିପ୍ତିମୟୀ ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଯୋଗ
ଦେଇଥିଲେ ।

Happy Living Odisha

Leave a Reply

Your email address will not be published. Required fields are marked *