PRGI REGD NO : ORORI/25/A1991

Advertisement

ମନୋରଞ୍ଜନ ସହ ସାମାଜିକ ବାର୍ତ୍ତା ପ୍ରଦାନ କରେ କଣ୍ଢେଇ ନାଟ: ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଜାତୀୟ କଣ୍ଢେଇ ନାଟ ଉତ୍ସବ ଉଦ୍‌ଯାପିତ

ମନୋରଞ୍ଜନ ସହ ସାମାଜିକ ବାର୍ତ୍ତା ପ୍ରଦାନ କରେ କଣ୍ଢେଇ ନାଟ: ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର ୧୯ ଡିସେମ୍ବର, ୨୦୨୫ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଥିବା ଜାତୀୟ କଣ୍ଢେଇ ନାଟ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିବା ଆଜିର ଉଦ୍‌ଯାପନୀ ସମାରୋହରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, “କଣ୍ଢେଇ ନାଟ ଆମ ପିଲାଦିନର ସ୍ମୃତିକୁ ଉଜ୍ଜୀବିତ କରିଥାଏ। କଣ୍ଢେଇ ତିଆରି କରିବା, ନାଟକରେ କଣ୍ଢେଇର ଜୀବନ୍ୟାସ ହେବା ଏବଂ ନାଟକ ମାଧ୍ୟମରେ ସାମାଜିକ ବାର୍ତ୍ତା ପ୍ରଦାନ କରିବାର ଏକ ଅଭିନବ ସୃଜନ ହେଉଛି କଣ୍ଢେଇ ନାଟ। ଜାତୀୟ କଣ୍ଢେଇ ନାଟ ଉତ୍ସବରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଆସିଥିବା ସମସ୍ତ କଳାକାରମାନଙ୍କୁ ମୁଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆମ ଲୋକକଳା ହିଁ ଆମ ପରିଚୟ। ତେଣୁ କଣ୍ଢେଇ ନାଟକକୁ ଆଜିର ଯୁବପିଢ଼ି ମଧ୍ୟରେ ଲୋକପ୍ରିୟ କରିବା ନିମନ୍ତେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଏହି ଯୁଗୋପଯୋଗୀ ଓ ସାରସ୍ୱତ ପ୍ରୟାସ ପ୍ରଶଂସନୀୟ।”

ମନ୍ତ୍ରୀ ଶ୍ରୀ ସୂରଜ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହି କଣ୍ଢେଇ ନାଟକ ଦେଖିବା ସହ ଏହି ଜାତୀୟ କଣ୍ଢେଇ ନାଟ ଉତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପ୍ରକାଶଯୋଗ୍ୟ ଯେ,ଡିସେମ୍ବର ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଭଞ୍ଜକଳା ମଣ୍ଡପ ଠାରେ କଣ୍ଢେଇ ନାଟ ଉତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ଆଠଗୋଟି ଓ ଭାରତବର୍ଷର କେରଳ, କର୍ଣ୍ଣାଟକ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ରାଜ୍ୟର ପାଞ୍ଚଗୋଟି କଣ୍ଢେଇନାଟ ଦଳ ଅଂଶଗ୍ରହଣ କରିଥିଲେ। ଆଜିର ଉଦ୍‌ଯାପନୀ ସମାରୋହରେ ଡ଼ଲ୍ସ ଥିଏଟର ଓ କଣ୍ଢେଇ ଘର ପକ୍ଷରୁ ସମକାଳୀନ କଣ୍ଢେଇ ନାଟ, ଜୟ ଭାରତ କଣ୍ଢେଇ କଳା ପରିଷଦ ପକ୍ଷରୁ ସୁତା କଣ୍ଢେଇ ନାଟ, ରାବଣ ଛାୟା ନାଟ୍ୟ ସଂସଦ ଓ ଥୋଲପଭାକୁଥୁ, କେରଳ ପକ୍ଷରୁ ଛାୟା ନାଟକ ପରିବେଷଣ କରାଯାଇଥିଲା। ରାଜସ୍ଥାନର ପୂରଣ ଭଟ୍ଟ କଠ ପୁତ୍‌ଲୀ ନାଚ୍ (କଣ୍ଢେଇ ନାଚ) ପରିବେଷଣ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ କଳାକାର ହରିହର ମହାପାତ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Happy Living Odisha

Leave a Reply

Your email address will not be published. Required fields are marked *