ମୋହନ ଖେଳିଲେ ମାଷ୍ଟର ଷ୍ଟ୍ରୋକ୍
ଓଡିଶା ରାଜନୀତିକ ଇତିହାସରେ ଏକ ବିଚିତ୍ର ଘଟଣା ଏବେ ସାମ୍ନାକୁ ଆସିଛି, ଯାହା ବିଜୁ ଜନତା ଦଳ (ବିଜେଡି)ର ‘ବିଜୁ ପ୍ରେମ’ର ଅସଲ ମୁଖା ଖୋଲିଦେଇଛି । ଯେଉଁ ବିଜୁ ପଟ୍ଟନାୟକଙ୍କ ନାଁ ନେଇ ବିଜେଡି ଦଳ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଗଠନ କରାଗଲା. ସେହି ଦଳ ଦୀର୍ଘ ୨୪ବର୍ଷ ଧରି ରାଜ୍ୟରେ ଏକଚାଟିଆ ଶାସନ କଲା, ବିଜେଡି ନିଜର ପ୍ରିୟନେତାଙ୍କ ସ୍ମୃତିରକ୍ଷା ପାଇଁ ଯାହା କରିପାରିନଥିଲା ତାହା ଏବେ କରି ଦେଖାଇଛନ୍ତି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି)ର ନେତା ଜୟନ୍ତ ଚୌଧୁରୀ । ରାଜ୍ୟର ପ୍ରତିଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ବିଜୁ ପଟ୍ଟନାୟକ ଚେୟାର’ ସ୍ଥାପନ ପାଇଁ ତାଙ୍କର ଅନୁରୋଧ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତତ୍କାଳ ପଦକ୍ଷେପ ନେବା ହିଁ ବିଜେଡିର ଦୁଇ ଦଶନ୍ଧିର ନିଷ୍କ୍ରିୟତା ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ସଦୃଶ ହୋଇଛି ।
ବିଜୁବାବୁଙ୍କ ସ୍ୱପ୍ନ ଓ ଆଦର୍ଶ କଥା କହି ରାଜ୍ୟରେ ୨୪ବର୍ଷ ମୁଖ୍ୟମନ୍ତ୍ରୀ ଥିବା ତାଙ୍କ ପୁଅ ଓ ଶାସନରେ ରହିଥିବା ଦଳ ଯାହା କରିପାରିଲେ ନାହିଁ, ଏବେ ବିଜୁବାବୁଙ୍କ ସ୍ମୃତିରକ୍ଷା ପାଇଁ ଆରଏଲଡି ନେତା ଜୟନ୍ତ ଚୌଧୁରୀ ଓଡିଶା ସରକାରଙ୍କୁ ନିବେଦନ କରିବା ରାଜ୍ୟବାସୀଙ୍କ ନିମନ୍ତେ ଚର୍ଚ୍ଚାର ବିଷୟ ପାଲଟିଛି । ଉତ୍ତରପ୍ରଦେଶର ପ୍ରଭାବଶାଳୀ ଆରଏଲଡି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଗତ ଅକ୍ଟୋବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଭୂମିପୁତ୍ର ବିଜୁ ପଟ୍ଟନାୟକ’ ଓ ‘ଭାରତ ରତ୍ନ ଚୌଧୁରୀ ଚରଣ ସିଂ’ଙ୍କ ନାମରେ ଦୁଇଟି ସ୍ୱତନ୍ତ୍ର ଏକାଡେମିକ୍ ଚେୟାର ସ୍ଥାପନ କରିବାକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରିଥିଲେ । ଆଉ ୧୧ ନଭେମ୍ବରରେ ଶ୍ରୀ ମାଝୀ ତାଙ୍କୁ ଚିଠି ଲେଖି ସରକାରଙ୍କ ସକରାତ୍ମକ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ବିଜୁ ପଟ୍ଟନାୟକ ଓ ଚୌଧୁରୀ ଚରଣ ସିଂ’ଙ୍କ ନାମରେ ଚେୟାର ସ୍ଥାପନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । ଅନୁରୋଧ କରାଯିବାର ମାତ୍ର ୧୨ଦିନ ମଧ୍ୟରେ ସକରାତ୍ମକ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧାସଳଖ ବିଜେଡିର ୨୪ବର୍ଷର ଶାସନର ନିଷ୍କ୍ରିୟତାକୁ ପଦାରେ ପକାଇ ଦେଇଛନ୍ତି । ଯାହା ବିଜୁଙ୍କ ନାମରେ ଓଡିଶାରେ ଗୋଟିଏ ଆଞ୍ଚଳିକ ଦଳ ଦୀର୍ଘ ୨୪ ବର୍ଷ ଧରି ନିରଙ୍କୁଶ ଶାସନ କଲା, ଆଜି ସେହି ମହାନ ଜନନାୟକଙ୍କ ସମ୍ମାନ ରକ୍ଷାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବିଜୁବାବୁଙ୍କ ‘ଆଦର୍ଶ ଓ ସ୍ୱପ୍ନ’ ସହ ଏହାକୁ ସାକାର କରିବା କଥା କହି ବିଜେଡି କ୍ରମାଗତ ୫ଥର ରାଜ୍ୟରେ କ୍ଷମତାକୁ ଆସିଲା କିନ୍ତୁ ବାସ୍ତବରେ ଏହି ସ୍ୱପ୍ନ କ’ଣ ଥିଲା, ତାହା ଆଜିବି ଅସମାହିତ ପ୍ରହେଳିକା ହୋଇ ରହିଛି । ବିଜୁ ପଟ୍ଟନାୟକଙ୍କୁ ବିଜେଡି କେବଳ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏକ ‘ବ୍ରାଣ୍ଡ୍’ ଓ ଭାବାବେଗ ଭାବେ ବ୍ୟବହାର କରିଆସିଛି । ବିଜୁ ପଟ୍ଟନାୟକଙ୍କ ନାମ ଏବଂ ଫଟୋକୁ କେବଳ ଭୋଟ୍ ସାଉଁଟିବାର ଏକ ମାଧ୍ୟମ ଭାବେ ବ୍ୟବହାର କରାଯାଇଛି ।
ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ଗଢି ଉଠିଥିବା ଦଳ, ତାଙ୍କ ବିଚାରଧାରାକୁ ଶିକ୍ଷାନୁଷ୍ଠାନ ମାଧ୍ୟମରେ ପରବର୍ତ୍ତୀ ପିିଢି ପାଖରେ ପହଞ୍ଚାଇବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ହେଉ ଅବା ଦେଶର ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା କରିବାକୁ କେବେ ଚିନ୍ତା ସୁଦ୍ଧା କରିନଥିଲା, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ୨୦୦୯ ମସିହା ପରଠୁ କେନ୍ଦ୍ର ସରକାରଙ୍କ ସହ ବିଜେଡିର ସମ୍ପର୍କ ସବୁବେଳେ ସନ୍ଦେହଘେରରେ ରହିଛି । କେବେ ୟୁପିଏ ତ କେବେ ଏନଡିଏ, ଉଭୟ ସରକାରଙ୍କୁ ନିଜ ସ୍ୱାର୍ଥ ଓ ସୁରକ୍ଷା ପାଇଁ ବିଜେଡି ‘ଟାକ୍ଟଫୁଲ୍’ ସମର୍ଥନ ଦେଇଆସିଛି। କିନ୍ତୁ ଏହି ଆତ୍ମସମର୍ପଣ ବଦଳରେ ଓଡିଶାକୁ ତ କିଛି ମିଳିନାହିଁ ବରଂ ଯାହାଙ୍କ ନାଁରେ ଦଳ ଗଠନା ହୋଇଥିଲା ତାଙ୍କର ସମ୍ମାନ ପାଇଁ ମଧ୍ୟ କୌଣସି ବଡଧରଣର ଦାବି ହାସଲ କରିବାରେ ସକ୍ଷମ ହୋଇନାହିଁ । ଦଳ ଗଠନ ହେବାଦିନଠୁ ବିଜୁବାବୁଙ୍କୁ ‘ଭାରତ ରତ୍ନ’ ଦେବା ଦଳର ଏକ ମୁଖ୍ୟ ଲକ୍ଷ୍ୟ ଥିଲା କିନ୍ତୁ ୨୪ବର୍ଷର ଶାସନ କାଳରେ ଏହା କେବଳ ରାଜନୀତିକ ଔପଚାରିକତା ହୋଇ ରହିଗଲା । ୨୦୨୧ ମସିହାରେ ଓଡିଶା ବିଧାନସଭାରେ ଏନେଇ ସର୍ବସମ୍ମତ ସଂକଳ୍ପ ପାରିତ ହେବା ସହ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପରେ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ, କିନ୍ତୁ ଏହା କେବଳ କାଗଜପତ୍ରରେ ସୀମିତ ଥିଲା । ୨୦୧୬ରେ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ବେଳେ ଓ ପରେ ସଂସଦର ଶୂନ୍ୟକାଳରେ ଦଳୀୟ ସାଂସଦମାନେ ଅନେକ ଥର ଦାବି ଉଠାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ଦୃଢ ରାଜନୈତିକ ଚାପ ପକାଇବାରେ ଦଳ ବିଫଳ ରହିଛି । ସବୁଠୁୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେବେ କେନ୍ଦ୍ର ସରକାରଙ୍କୁ ସଂସଦରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବା ପାଇଁ ବିଜେଡିର ସମର୍ଥନର ଆବଶ୍ୟକତା ପଡୁଥିଲା, ଦଳ ବିନା ସର୍ତ୍ତରେ ଏପରିକି ଉପରେ ପଡି ସମର୍ଥନ ମଧ୍ୟ ଦେଇଥିଲା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପିଭି ନରସିଂହ ରାଓ ଓ ଚୌଧୁରୀ ଚରଣ ସିଂଙ୍କୁ ‘ଭାରତ ରତ୍ନ’ ଦେବାପରେ ମଧ୍ୟ ବିଜୁବାବୁଙ୍କ ପାଇଁ ଏହି ସମ୍ମାନ ଦାବିକୁ ଜୋରଦାର ଢଙ୍ଗରେ ଉପସ୍ଥାପନ କରି ବିଜେଡି ଆବଶ୍ୟକ ଚାପ ସୃଷ୍ଟିରେ ଫେଲ୍ ମାରିଛି । ଯାହାକି ଦଳର ଆନ୍ତରିକ ଇ୍ଛାଶକ୍ତି ଅପେକ୍ଷା କେନ୍ଦ୍ର ସହ ବୁଝାମଣାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଏକରକମ ସ୍ପଷ୍ଟ ହୋଇଯାଇଛି । ବର୍ତ୍ତମାନର ଘଟଣାକ୍ରମ ବିଜେଡି ନେତୃତ୍ୱ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି । ବିଜୁବାବୁଙ୍କ ନୀତି-ଆଦର୍ଶର ଉତ୍ତରାଧିକାରୀ ବୋଲାଉଥିବା ଆଗଧାଡିର ନେତାମାନେ ଯାହା ଆଜି ପର୍ଯ୍ୟନ୍ତ ଚିନ୍ତା କରିପାରିଲେ ନାହିଁ, ତାହା କରି ଦେଖାଇଛନ୍ତି ଆରଏଲଡି ନେତା ଜୟନ୍ତ ଚୌଧୁରୀ । ସେ ବିଜୁ ପଟ୍ଟନାୟକ ଓ ଚୌଧୁରୀ ଚରଣ ସିଂଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ପ୍ରସ୍ତାବ ରଖିଛନ୍ତି, ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଜକୁ ବିଜୁ ବାବୁଙ୍କ ଉତ୍ତରାଧିକାରୀ କହୁଥିବା ନେତାମାନେ ଆଜି ଏହି ଚିଠି ଦେଖି ଲଜ୍ଜିତ ହେବା ସ୍ୱାଭାବିକ । ବିଜୁ ବାବୁଙ୍କ ସମ୍ମାନ ଆଜି ବିଜେଡି ହାତରୁ ଖସି ଅନ୍ୟମାନଙ୍କ ହାତକୁ ଚାଲିଯାଇଛି, ଯାହା ଓଡିଶାବାସୀଙ୍କ ଆଗରେ ଦଳର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ।











Leave a Reply