ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ
ଆର୍ଥିକ ସହାୟତା ସହିତ ସ୍ଥାୟୀ ଥଇଥାନର ଦେଲେ ପ୍ରତିଶ୍ରୁତି
ଭୁବନେଶ୍ବର ଏକ ନମ୍ବର ହାଟର ଅଗ୍ନିକାଣ୍ଡ ଜନିତ କ୍ଷତିଗ୍ରସ୍ତ ଅଂଚଳକୁ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପରିଦର୍ଶନ କରିଛନ୍ତି । ଏହି ଅବସରରେ କ୍ଷତିଗ୍ରସ୍ତ ଅଂଚଳ ବୁଲିବା ସହିତ ପ୍ରାୟ ସମସ୍ତ ଉଠା ଦୋକାନୀଙ୍କୁ ଭେଟି ସେମାନଙ୍କର ସ୍ଥିତି ନେଇ ସମୀକ୍ଷା କରିଥିଲେ । ବହୁ ସମୟ ଧରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଠା ଦୋକାନୀଙ୍କ ସହିତ ତଳେ ବସି ରହି ସେମାନଙ୍କର ପ୍ରତିଟି ସମସ୍ୟା ଶୁଣିଥିଲେ। ଏହି ଅବସରରେ ଆଗାମୀ ସମୟରେ ଉଠା ଦୋକାନୀଙ୍କ ସମସ୍ୟାର କିପରି ସମାଧାନ ହେବ, ସେନେଇ ଭୁବନେଶ୍ବର ମେୟର ସୁଲୋଚନା ଦାଶ ଏବଂ କମିଶନରଙ୍କ ସହିତ ମଧ୍ୟ ଫୋନ୍ ଯୋଗେ ଆଲୋଚନା କରିଥିଲେ । ଉଠା ଦୋକାନୀଙ୍କ ସମସ୍ୟାର ସମାଧାନ ନେଇ ଭୁବନେଶ୍ବର ସାଂସଦ ନିର୍ଭର ପ୍ରତିଶ୍ରୁତି ଦେଇ କହିଛନ୍ତି, ‘ ଭରସା ରଖନ୍ତୁ, ମୁଁ ଆପଣମାନଙ୍କର ସାଂସଦ, କଥା ଦେଉଛି ଆପଣଙ୍କ ସହିତ ଅଛି, ଆପଣଙ୍କ ସମସ୍ୟାର ସମାଧାନ କରିବି । ଆପଣ ନିୟମ ଅନୁସାରେ ସମସ୍ୟା ଲିଖିତ ଜଣାନ୍ତୁ’ । ଏହି ଅବସରରେ ଅଗ୍ନିକାଣ୍ଡ ଜନିତ କ୍ଷତିଗ୍ରସ୍ତ 53 ଜଣ ଉଠା ଦୋକାନୀଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ 5 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
ଗତ 21 ତାରିଖ ରାତିରେ ଭୟଙ୍କର ଅଗ୍ନିକାଣ୍ଡରେ ଭୁବନେଶ୍ବର ୟୁନିଟ୍ 1 ମାର୍କେଟରେ ରାସ୍ତା କଡରେ ଥିବା ଉଠା ଦୋକାନ ଗୁଡିକ ଜଳି ଯାଇଥିଲା । ଏହି ଘଟଣା ପରେ ପରେ ବିଏମସି ପକ୍ଷରୁ ରାସ୍ତା କଡରେ ଥିବା ସମସ୍ତ ଉଠା ଦୋକାନ ଗୁଡିକୁ ଉଚ୍ଛେଦ କରି ଦିଆଯାଇଛି । ଏପରି ଭାବରେ ଉଠା ଦୋକାନୀଙ୍କ ମୁଣ୍ଡରେ ଏବେ ପରିବାର ପ୍ରତିପୋଷଣ ଚିନ୍ତାର ଚଡକ ପଡିଛି । ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଠାଦୋକାନୀଙ୍କ ଭେଟି ସମସ୍ୟା ଶୁଣିଛନ୍ତି । ଏହି ଅବସରରେ ସାଥୀରେ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ଜନସାଧାରଣ ଉପସ୍ଥିତ ଥିଲେ । ଭେଣ୍ଡିଂ ଜୋନର ସମସ୍ତ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ପାଇଁ ସ୍ଥାୟୀ ଥଇଥାନ ଓ ବିକାଶ ନେଇ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶେଷରେ ଆଶ୍ବାସନା ଦେଇଥିଲେ । କରତାଳି ସହିତ ସାଂସଦଙ୍କ ପ୍ରତିଶ୍ରୁତିକୁ ଗ୍ରହଣ କରି ଭରସା ରହିଛି ବୋଲି କହିଛନ୍ତି କ୍ଷତିଗ୍ରସ୍ତ ଉଠା ଦୋକାନୀ ।














Leave a Reply