ବାସ୍ତୁ ବିଚାର
ମା’ ଦୁର୍ଗାଙ୍କୁ କିପରି ସନ୍ତୁଷ୍ଟ କରିବେ
ବାସ୍ତୁବିଦ୍ ଡ. ମନୋଜ ଲେଙ୍କା
ଦଶହରାରେ ମା’ ଦୁର୍ଗାଙ୍କ ସୂରୁପ ଭାବରେ କନ୍ୟାମାନଙ୍କ ପୂଜନର ପରମ୍ପରା ରହିଛି । ଏହି ଅବସରରେ ୯ ବର୍ଷ ବୟସ୍କ ୯ ଜଣ କନ୍ୟାଙ୍କୁ ନବଦୁର୍ଗା ରୂପରେ ଶୃଙ୍ଗାର କରାଯାଇ ପୂଜା କରାଯାଇଥାଏ । ଏହି କନ୍ୟାମାନଙ୍କ ଆଶୀର୍ବାଦ ଭିକ୍ଷା କରି ଦକ୍ଷିଣା ଦେଲେ ନାରୀ ସୌଭାଗ୍ୟବତୀ ହୋଇଥାଏ ବୋଲି ଧର୍ମୀୟ ବିଶ୍ଵାସ ରହିଛି । ତେବେ ଅଷ୍ଟମୀଠାରୁ ଦଶହରା ପର୍ଯ୍ୟନ୍ତ କେଉଁ ଉପାୟ କଲେ ମା’ ସନ୍ତୁଷ୍ଟ ହେବା ସହିତ ଗୃହରୁ ବାସ୍ତୁଦୋଷ ଖଣ୍ଡିତ ହୋଇଥାଏ ସେ ସଂପର୍କରେ ଅବଗତ ହେବା ଜରୁରି । ଅଷ୍ଟମୀ ଦିନ ଘର ଲାଗି ଚନ୍ଦନକାଠ, ପିତ୍ତଳ ଦୀପ, କଂସା ବାସନ କ୍ରୟ କଲେ ଶୁଭଫଳ ମିଳିଥାଏ । ଗୃହରେ କଳସ ସ୍ଥାପନ କରି ଦ୍ବାରରେ ଆମ୍ବପତ୍ରର ତୋରଣ ଏବଂ ଘର ସମ୍ମୁଖରେ ରଙ୍ଗୋଲି ପକାଇବା ଶୁଭକାରକ । ଗୃହରେ ପଞ୍ଚଧୂପ ଦାନ କଲେ ମା’ ସନ୍ତୁଷ୍ଟ ହୋଇଥାଆନ୍ତି । କଥିତ ଅଛି, ନବମୀ ଦିନ ତାଲାଚାବି, ପିତାମାତାଙ୍କ ପାଇଁ ନୂତନ ବସ୍ତ୍ର, ମିଷ୍ଟାନ୍ନ, ପଞ୍ଚଫଳ ଆଦି ଘରକୁ ଆଣିବା ଦ୍ବାରା ସୁଫଳ ପ୍ରାପ୍ତି ହୋଇଥାଏ । ସେହିପରି ଦଶମୀରେ ଘିଅ, ମହୁ, ଗୁଡ଼, ପଦ୍ମଫୁଲ, ନଡ଼ିଆ ଘରକୁ ଆଣିବା ଶୁଭ । ଦଶହରା ଦିନ ଶୃଙ୍ଗାର ପଦାର୍ଥ ଯଥା, ଶାମି, ଚୁଡ଼ି, ଶଙ୍ଖା, ସିନ୍ଦୂର, ଅଳତା, ଅତର ଆଦି ମା’ଙ୍କୁ ଅର୍ପଣ କରିବା ସହିତ ନବବଧୂଙ୍କୁ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଗୃହରୁ ବାସ୍ତୁଦୋଷ ଖଣ୍ଡନ ନିମିତ୍ତ ଘରକୁ ତୁଳସୀ, ବେଲ, ବ୍ରହ୍ମଜଷ୍ଟି ଆଣି ରୋପଣ କରନ୍ତୁ । ଏହା ଗୃହର ଶ୍ରୀ ବୃଦ୍ଧି କରିଥାଏ । ସୁରକ୍ଷା ନିମିତ୍ତ ଗୃହରେ ପ୍ରତିବର୍ଷ ସପ୍ତସତୀ ଚଣ୍ଡୀପାଠ କରାଇବା ସହିତ ଅନ୍ନଦାନ କଲେ ଆକସ୍ମିକ ଦୁର୍ଘଟଣାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି।








Leave a Reply