ବରଘାଟ ବିଦ୍ୟୁତ୍ ସବ୍ଷ୍ଟେସନ୍ରେ ଡକାୟତି ଯୋଜନା ପଣ୍ଡ।
ପୋଲିସ ଚଢ଼ାଉରେ ୨ ଅଭିଯୁକ୍ତ ଗିରଫ, ୩ରୁ ୪ ଜଣ ଫେରାର; ମାରଣାସ୍ତ୍ର, ଯନ୍ତ୍ରପାତି ଓ ସ୍କୁଟି ଜବତ।
ବଣାଇ,୧୦/୧୦/୨୬ (ଡମ୍ବରୁ ପ୍ରଧାନ)
ବିଦ୍ୟୁତ୍ ସବ୍ଷ୍ଟେସନ୍ରେ ଡକାୟତି କରିବା ପାଇଁ ଯୋଜନା ଚାଲିଥିବା ବେଳେ ଲହୁଣୀପଡ଼ା ପୋଲିସ ଅତର୍କିତ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ତେବେ ଅନ୍ଧାରର ସୁଯୋଗ ନେଇ ଅନ୍ୟ ୩ରୁ ୪ ଜଣ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୮ ତାରିଖ ରାତିରେ ଲହୁଣୀପଡ଼ା ଥାନାର ଏକ ପୋଲିସ ଟିମ୍ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ୯ ତାରିଖ ଭୋର ପ୍ରାୟ ୨ଟା ୪୫ ମିନିଟ୍ରେ ଦର୍ଜିଂ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସବ୍ଇନ୍ସପେକ୍ଟର ରଶ୍ମିରଞ୍ଜନ ପରିଜାଙ୍କୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ବରଘାଟ ସବ୍ଷ୍ଟେସନ୍ ପଛପଟେ ଏକ ନିଛାଟିଆ ସ୍ଥାନରେ କିଛି ବ୍ୟକ୍ତି ଏକାଠି ହୋଇ ନିକଟସ୍ଥ ୩୩/୧୧ କେଭି ବିଦ୍ୟୁତ୍ ସବ୍ଷ୍ଟେସନ୍ରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଥିଲା। ସେମାନଙ୍କ ନିକଟରେ ମାରଣାସ୍ତ୍ର ଥିବା ମଧ୍ୟ ସୂଚନା ଦିଆ ଯାଇଥିଲା। ଏହି ଖବର ପାଇବା ପରେ ସବ୍ଇନ୍ସପେକ୍ଟର ଶ୍ରୀ ପରିଜା ତୁରନ୍ତ ଲହୁଣୀପଡ଼ା ଥାନା ଅଧିକାରୀ ଓ ଡିସିଓଙ୍କୁ ଅବଗତ କରାଇ ସହଯୋଗୀ ପୋଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳକୁ ଯାଇଥିଲେ। ଭୋର ପ୍ରାୟ ୩ଟା ୨୦ ମିନିଟ୍ରେ ପୋଲିସ ଟିମ୍ ସେଠାରେ ପହଞ୍ଚି ସନ୍ଦେହଜନକ ଗତିବିଧି ଦେଖି ଚାରିପଟୁ ଘେରାଉ କରିଥିଲା। ପୋଲିସକୁ ଦେଖି ସେଠାରେ ଥିବା ବ୍ୟକ୍ତି ମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ପିଛା କରି ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଅନ୍ଧାରରେ ଖସି ପଳାଇଥିଲେ।
ଗିରଫ ଦୁଇ ଅଭିଯୁକ୍ତ ହେଲେ ସୁଶାନ୍ତ ପଟ୍ଟନାୟକ (୪୭) ଓ ହିରଣ୍ୟ କୁମାର ଦାସ ଓରଫ ହାଡ଼ିଆ (୫୨)। ସୁଶାନ୍ତଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ଫର୍ଟିଲାଇଜର ଇ-ବ୍ଲକ୍ରେ ହୋଇଥିବା ବେଳେ ହିରଣ୍ୟଙ୍କ ଘର ସେହି ଥାନା ଅଞ୍ଚଳର କନଷ୍ଟ୍ରକ୍ସନ କଲୋନୀରେ ବୋଲି ପୋଲିସ ସୂଚନା ଦେଇଛି। ଘଟଣାସ୍ଥଳରୁ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି, ଦାଉଲି, ହୁକ୍ ଲାଗିଥିବା ଦଉଡ଼ି ଓ ଏକ ଯୋଡ଼ା ଧଳା ରଙ୍ଗର ରବର ଗ୍ଲୋଭ୍ସ, ସ୍କ୍ରୁ ଡ୍ରାଇଭର, ହ୍ୟାକ୍ସସ୍କ୍ରୁ ଡ୍ରାଇଭର, ଡବଲ୍ ଏଣ୍ଡ୍ ସ୍ପାନର, ରିଙ୍ଗ୍ ସ୍ପାନର, ଆଡଜଷ୍ଟେବଲ୍ ସ୍ପାନର, ହ୍ୟାକ୍ସ, ପ୍ଲାସ୍ ଓ ୧୭୦୦ ଟଙ୍କା ଜବତ ସହ ଡକାୟତିରେ ବ୍ୟବହାର ପାଇଁ ରଖାଯାଇଥିବା ବିଭିନ୍ନ ଯନ୍ତ୍ରପାତି ଜବତ କରିଛି। ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ସୁଶାନ୍ତ ପଟ୍ଟନାୟକ ଫେରାର ଥିବା ତାଙ୍କ କିଛି ସହଯୋଗୀଙ୍କ ନାମ ମନୋଜ କୁମାର ମୁଦୁଲି ଓ ରାଜ ଏକ୍କା ବୋଲି କହିଥିବା ଜଣାପଡ଼ିଛି। ଅନ୍ୟ କେତେକ ବ୍ୟକ୍ତିଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଥିବା ସେ ପ୍ରକାଶ କରିଥିବା ପୋଲିସ ରିପୋର୍ଟରେ ଉଲ୍ଲେଖ ରହିଛି।
ପୋଲିସର ଦାବି ଅନୁସାରେ, ଅଭିଯୁକ୍ତମାନେ ପୂର୍ବରୁ ବଣାଇ, ଲହୁଣୀପଡ଼ା ଓ ଗୁରୁଣ୍ଡିଆ ଅଞ୍ଚଳର ବିଭିନ୍ନ ନିଛାଟିଆ ସ୍ଥାନରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ ତମ୍ବା କଏଲ୍ ଚୋରି କରିଥିବା ସମ୍ପର୍କରେ ପଚରାଉଚରା ବେଳେ ସୂଚନା ଦେଇଛନ୍ତି। ଟ୍ରାନ୍ସଫର୍ମରରୁ ତମ୍ବା ତାର ବାହାର କରି ଚୋରାରେ ବିକ୍ରି କରିବା ସହ ଏହି ଘଟଣାରେ ସେମାନଙ୍କର ଅନ୍ୟ ସହଯୋଗୀମାନେ ମଧ୍ୟ ସାମିଲ ଥିବା ସନ୍ଦେହ କରାଯାଉଛି।
ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୧୦(୪)/୩୧୦(୫) ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫(୧)(କ) ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ଲହୁଣୀପଡ଼ା ଥାନାରେ ରିପୋର୍ଟ ଦାଖଲ କରାଯାଇଛି। ଫେରାର ଅଭିଯୁକ୍ତମାନଙ୍କୁ ଧରିବା ସହ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।













Leave a Reply