ବର୍ଷକର ଅପେକ୍ଷା ପରେ ବଣାଇ ପରିଭ୍ରମଣରେ ମା’ କନ୍ତେଶ୍ୱରୀ
ବଣାଇ,୧୨/୧୦ ( Dambaru Pradhan) :ବର୍ଷସାରା ଭକ୍ତଙ୍କ ଅନ୍ତରର ଗୁହାରି, ଆକୁଳ ନିବେଦନ ଆଉ ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି। ପାହାଡ଼ ଗୁମ୍ଫାରୁ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତଜନନୀ ।ଲହୁଣୀପଡ଼ା ବ୍ଲକର ଶାନ୍ତ, ସୁନ୍ଦର ଓ ପବିତ୍ର ଗ୍ରାମ ‘ସାନଜଲ’ରୁ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ବଣାଇ ଅଞ୍ଚଳର ଆରାଧ୍ୟା ଦେବୀ “ମା’ କନ୍ତେଶ୍ୱରୀ”ଙ୍କ ବାର୍ଷିକ ଦିବ୍ୟ ପରିଭ୍ରମଣ ଯାତ୍ରା। ବର୍ଷକେ ମାତ୍ର ଥରେ ଆସୁଥିବା ନିଜ ଆରାଧ୍ୟା ଦେବୀ ମା’ଙ୍କୁ ନିଜ ଗାଁ-ଗଣ୍ଡା, ଦୁଆର ମୁହଁ ଓ ଗଳି କନ୍ଦିରେ ପାଇ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ଆଖିରୁ ଆନନ୍ଦ ଓ ଭକ୍ତିର ଅଶ୍ରୁ ଝରିପଡ଼ୁଛି।
ମା’ଙ୍କର ଏହି ୧୫ ଦିନିଆ ବାର୍ଷିକ ପରିଭ୍ରମଣ କେବଳ ଏକ ପରମ୍ପରା ବା ଯାତ୍ରା ନୁହେଁ; ଏହା ଭକ୍ତ ଓ ମା’ଙ୍କ ଅନ୍ତରଙ୍ଗ ଭାବପୂର୍ଣ୍ଣ ମିଳନର ଏକ ଅପୂର୍ବ ଦୃଶ୍ୟ। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ, ମା’ କନ୍ତେଶ୍ୱରୀ ହେଉଛନ୍ତି ଅତ୍ୟନ୍ତ ପ୍ରତ୍ୟକ୍ଷ ଦେବୀ। ଯିଏ ଯେଉଁ ଦୁଃଖ-କଷ୍ଟ ନେଇ ମା’ଙ୍କ ଶରଣାପନ୍ନ ହୁଏ କିମ୍ବା କୌଣସି ଅଟକି ରହିଥିବା ମନସ୍କାମନା ପୂରଣ ପାଇଁ ନିବେଦନ କରେ, ମା’ କାହାରିକୁ ନିରାଶ କରନ୍ତି ନାହିଁ। ଯେଉଁ ଭକ୍ତମାନଙ୍କର ମନସ୍କାମନା ପୂର୍ବରୁ ପୂରଣ ହୋଇଛି, ସେମାନେ ଆଜି ମା’ଙ୍କ ଆଗମନରେ ଆଖିରେ ଲୁହ ନେଇ କୃତଜ୍ଞତା ଜଣାଉଛନ୍ତି ଏବଂ ଆଶୀର୍ବାଦ ଗ୍ରହଣ କରୁଛନ୍ତି। ଅପରପକ୍ଷରେ, ଯାହାର ଜୀବନରେ ଦୁଃଖ, କଷ୍ଟ କିମ୍ବା କାର୍ଯ୍ୟରେ ବିଳମ୍ବ ହେଉଛି, ସେମାନେ ନିଜର ଆକୁଳ ମନସ୍କାମନା ନେଇ ମା’ଙ୍କ ପାଦତଳେ ଶରଣ ପଶୁଛନ୍ତି।
ଏହି ୧୫ ଦିନର ପରିଭ୍ରମଣ ସମୟରେ ମା’ ବିଭିନ୍ନ ଗ୍ରାମ ପରିକ୍ରମା କରି ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେବେ। ପ୍ରତ୍ୟେକ ଗ୍ରାମରେ ମା’ଙ୍କୁ ସ୍ୱାଗତ କରିବା ପାଇଁ ଘରେ ଘରେ ଝୋଟି-ଚିତା ଆଉ ଧୂପ-ଦୀପର ମହକରେ ପରିବେଶ ଭକ୍ତିମୟ ହୋଇଉଠିଛି। ଗ୍ରାମ ପରିକ୍ରମା ଶେଷ କରି ଶୁକ୍ଳ ନବମୀ ତିଥିରେ ମା’ ବିରାଜମାନ କରିବେ ବଣାଇ ରାଜା ସାହେବଙ୍କ ଐତିହାସିକ ରାଜବାଟୀରେ। ସେଠାରେ ବିଶେଷ ପୂଜାର୍ଚ୍ଚନା ଓ ନୀତିକାନ୍ତି ସମ୍ପନ୍ନ ହେବ। ରାଜବାଟୀରେ ପୂଜା ପାଇବା ପରେ, ତା’ ପରଦିନ ମା’ ପବିତ୍ର ବ୍ରାହ୍ମଣୀ ନଦୀ ପାର ହୋଇ ପୁନର୍ବାର ନିଜର ମୂଳ ଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ। ମା’ଙ୍କର ଏହି ପ୍ରତ୍ୟାବର୍ତ୍ତନ ଦିନହିଁ ସମଗ୍ର ବଣାଇ ଅଞ୍ଚଳରେ ଅତ୍ୟନ୍ତ ଧୁମଧାମ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହେବ ବିଜୟା ଦଶମୀ ବା ଦଶହରା ପର୍ବ।
ଆଜି ପ୍ରଥମ ଦିନରୁ ହିଁ ସାନଜଲ ଗ୍ରାମରୁ ମା’ଙ୍କ ଯାତ୍ରା ଆରମ୍ଭ ହେବା କ୍ଷଣି ଭକ୍ତଙ୍କ ଜନସମୁଦ୍ର ସୃଷ୍ଟି ହୋଇଛି। ପ୍ରତିଟି ଭକ୍ତଙ୍କ ଆଖିରେ ମା’ଙ୍କୁ ପାଇବାର ଶାନ୍ତି ଓ ଅଶ୍ରୁଳ ଆବେଗ ସାରା ବଣାଇ ଅଞ୍ଚଳକୁ ଏକ ଆଧ୍ୟାତ୍ମିକ ଓ ଭାବପୂର୍ଣ ପରିବେଶରେ ବାନ୍ଧି ରଖିଛି।














Leave a Reply